Unknown

 

 

 

 

 

 

 

 

 

ବେଣୀ ସଂହାର

କବିବର ରାଧାନାଥ ରାୟ

 

ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ

ପଙ୍କଜବରଣୀ ଉଷା ଉଦୟ ଅଚଳେ,

ନବୋଦିତ ଦିନମଣି ଆରକ୍ତକିରଣ

କାଞ୍ଚନ-ଶିବିର-ଚୂଡ଼ା ଚୂମ୍ବିଲା ବ‌ହନ,

ଝର ଝର ଝରେ ନିଶିପତିତ ତୁଷାର;

ଦୁଇ ଦଳେ ରଣସଜ୍ଜା କଲେ ଯେ ଯାହାର,

ବାଜିଲା ବିବିଧ ବାଦ୍ୟ, ମାତି ବୀରରସେ

ଆୟୁଧ ଆସ୍ଫାଳି ବୀରେ ଧାଇଁଲେ ସାହସେ;

ବୀରମଦେ କେହି ବୀର କାର୍ମୁକ ଟଙ୍କାରେ,

କେ ଅବା ଆସ୍ଫାଳି ଆସି ଭୀଷଣ ହୁଙ୍କାରେ;

ଦୋଳେ ଝକ ଝକ ପୃଷ୍ଠେ ଫଳକ ବର୍ତ୍ତୁଳ,

କେ ଅବା ଉନ୍ମଦ ଶୂନ୍ୟେ ଭୁଷଇ ତ୍ରିଶୂଳ;

ଭାବୀ ପ୍ରତିପକ୍ଷ ବକ୍ଷ ଲକ୍ଷି କେହି ବୀର

ଧାଆନ୍ତେ କବଚେ ବାଜି ବାଜଇ ତୂଣୀର;

ଗମ୍ଭୀର ସମରବାଦ୍ୟ, ଅସ୍ତ୍ରର ଝନ୍‍ଝନି,

ସିଂହନାଦ ଶଙ୍ଖନାଦ ବ୍ୟାପଇ ଅବନୀ ।

ପ୍ରଚଣ୍ଡ ପାଣ୍ଡବଯୋଧେ ଆୟୁଧ ଭାସ୍ୱର,

ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର,

ଯେସନେ ଭୀଷଣ‌ଘୋଷୀ ପଶ୍ଚିମ ଅନିଳ-

ଆଘାତେ ସଂଘାତେ ଧାଏଁ ତରଙ୍ଗ ଫେନିଳ,

ଆଗେ ସିନ୍ଧୁ ନୀଳବକ୍ଷେ ଉଚ୍ଛୁଳି ଉଚ୍ଛ୍ୱାସେ

ହଲାଇ ଖେଳାଇ ଚୂଡ଼ା ଟେକଇ ଆକାଶେ,

ଦମ୍ଭୋଳି ଆରବେ ପୁଣି ଗରଜି ଗମ୍ଭୀର

ସ୍ତରେ ସ୍ତରେ ତଟେ ଲାଗି ପିଟେ ତ‌ହିଁ ଶିର,

ଉତ୍ତୁଙ୍ଗ ମଳୟଗିରି ଚରଣେ ଆଶ୍ରିତ

ଇତର ଶିଖରିକୁଳ କରେ କବଳିତ,

ତେସନ ମୁଖରି କ୍ଷେତ୍ର ଭୈରବ ଆରବେ

କ୍ଷତ୍ରିୟହର୍ଯ୍ୟକ୍ଷ ଶୂରେ ଧାଇଁଲେ ଆହବେ ।

ଦେବାକୃତି ଶୂରବୃନ୍ଦ ସର୍ବେ ବୀର୍ଯ୍ୟଶାଳୀ,

ତେଜସ୍ୱୀ ମଧ୍ୟାହ୍ନେ ଯେହ୍ନେ ଦେବ ଅଂଶୁମାଳୀ ।

ଧର୍ମଙ୍କ ଛାମୁରୁ ପାର୍ଥ ଘେନିଣ ମେଲାଣି,

କପିଧ୍ୱଜେ ବିଜେ କଲେ ସଙ୍ଗେ ଚକ୍ରପାଣି ।

ବିଶୋକ ସାରଥି ପ୍ରତି କ‌ହେ ଭୀମ‌ ବୀର,

ରଖ ରଥେ ସୂତ ! ବ‌ହୁ ଖାରଶାଣ ତୀର,

ଆଜି ଧୃତରାଷ୍ଟ୍ର ହେବ ପୁତ୍ରପୌତ୍ରହୀନ,

ଆଜି ବସୁନ୍ଧରା ହେବ ଧର୍ମଙ୍କ ଅଧୀନ,

ଆଜି ଦୁର୍ଯ୍ୟୋଧନ ରାଜା ଶୋଇବ ଭୂତଳ,

କପଟ ପାଶାର ଆଜି ଦେବି ପ୍ରତିଫଳ,

ଯାବତ ନ ମିଳେ ଆସି ପାର୍ଥ ମହାରଥୀ,

ସସଜ୍ଜ ମୋ ରଥ ବେଗେ କର, ତୁ ସାରଥି ।’’

ଏ ସମୟେ ଉତ୍ତରେ ଶୁଭିଲା କୋଳାହଳ,

ଆବରେ ଅର୍ଜୁନ ବାଣ ଗ‌ଗନମଣ୍ଡଳ,

କପିଧ୍ୱଜ ଅଶ୍ୱହ୍ରେସା, ଦେବଦତ୍ତ ସ୍ୱନ

ଶୁଭିଲା, ଦିଶିଲା ଦୂରେ ବାନର-କେତନ ।

ଦୁଇ ଦଳେ ମହାରୋଷେ ମିଳିଲେ ସମରେ,

ଶନ ଶନ ଶରକୁଳ ଚାଲିଲା ଅମ୍ବରେ ।

ଖଡ଼ଗେ ଖଡ଼ଗ ବାଜେ, ଫଳକେ ଫଳକ,

ଶୂଳେ ଶୂଳ, ଭଲ୍ଲେ ଭଲ୍ଲ, ସାୟକେ ସାୟକ,

ଆର୍ତ୍ତନାଦ ସିଂହନାଦ ଉଠଇ ଅମ୍ବରେ,

ଘାତକ ଆହତ ପରେ ନାଦେ ଦମ୍ଭଭରେ,

ଘୋଟକ ଝପଟ ଧୂଳି ଘୋଟେ ନଭସ୍ଥଳ,

ଘର୍ଘରି ଘୂରଇ ଚକ୍ର ଉଗାରି ଅନଳ,

ତୂରୀ ଭେରୀ ଆଦି ବାଦ୍ୟ ବାଜେ ଅଗଣନ,

ଘନ‌ଘଟା ଘୋରଧ୍ୱନି ବଧିର ଶ୍ରବଣ,

ପଡ଼ିଲେ କିରୀଟିଶରେ କୁରୁ ଚତୁରଙ୍ଗ,

ଭୟେ କୁରୁବୀରବୃନ୍ଦ ରଣେ ଦେଲେ ଭଙ୍ଗ,

ଦେଖିଣ ସୌବଳ କ‌ହେ ରାଜାଙ୍କ ଛାମୁର,

"ଦେଖ ରାଏ ! ସୈନ୍ୟ କ୍ଷୟ କଲା ପାର୍ଥଶୂର;

ମୁଁ ଯାଇଁ କରିବି ଆଗ ଭୀମଙ୍କୁ ସଂହାର,

ନୋହିଲେ କୁରୁଙ୍କୁ ଆଜି ନାହିଁ ଯେ ନିସ୍ତାର ।’’

ମହାବଳ ସୌବଳ ଧାଇଁଲେ ଭୀମ‌ ପ୍ରତି,

ଯୁଝନ୍ତି କେଶରୀ ପ୍ରାୟେ ବେନି ସେନାପତି,

ପ୍ରହାରଇ ଶକ୍ତି ଭୀମ ସଉବଳ ମାଥେ,

ହୁଞ୍ଚୁଡ଼ି ସେ ଶକ୍ତି ବୀର ନେଲା ବାମହାତେ,

ସେହି ଶକ୍ତି ଘେନି ପୁଣି ଭୀମଙ୍କୁ ପ୍ରହାରେ,

ମୂର୍ଚ୍ଛିତ ହୋଇଣ ଭୀମ ପଡ଼ିଲେ ଧରାରେ,

ମୂର୍ଚ୍ଛାଭଙ୍ଗେ ରଣଭଙ୍ଗେ ମାତିଲେ ମାରୁତି,

ବାଣେ କୁରୁବୀରଙ୍କୁ ସେ ପକାଇଲେ ପୋତି,

କ୍ରୋଧାନ୍ଧେ ବିନ୍ଧିଲା ବୀର ସୌବଳ ଶରୀର,

ଭେଟିଲା ସୌବଳ କର୍ଣ୍ଣମୂଳେ ଭୀମ ତୀର,

ମୂର୍ଚ୍ଛିତ ହୋଇଣ ବୀର ହେଲା ରଥଶାୟୀ,

ବେଗେଣ ସାରଥି ରଥ ନେଲା ବାହୁଡ଼ାଇ,

ଧନୁ ଏଡ଼ି ଗଦା ନେଲେ ପବନ‌କୁ‌ମର,

ଗଦାଘାତେ ଅରାତିଙ୍କୁ କଲେ ସେ ଜର୍ଜ୍ଜର,

ଧୂମକେତୁ ଭୀମ‌ ପୁଚ୍ଛ ସଞ୍ଚାଳି ବ‌ହନ

ନିଶୀଥେ ଆକାଶେ ଥାଇ ବୁଲଇ ଯେସନ

ଦୁର୍ଭିକ୍ଷ ମଡ଼କ ରାଷ୍ଟ୍ରେ, ସୁବର୍ଣ୍ଣମଣ୍ଡିତ

ପ୍ରଚଣ୍ଡ ଆୟସୀ ଗଦା ବୁଲାଇ ତ୍ୱରିତ

ବିପକ୍ଷଙ୍କୁ ତେସନ ପ୍ରେରଇ ପ୍ରେତପୁର

କୁରୁକୁଳଧୂମକେତୁ ଭୀମ ମହାଶୂର;

ମାତଙ୍ଗେ ମାହୁନ୍ତ ପଡ଼େ ତୁରଙ୍ଗେ ରାଉତ,

ପଡ଼ନ୍ତି ପଦାତି ରଣେ ଅୟୁତ ଅୟୁତ ।

ବେଗେ କୁରୁବଳେ ନେଲେ କର୍ଣ୍ଣଙ୍କ ଶରଣ,

କର୍ଣ୍ଣଙ୍କୁ କାତରେ କ‌ହେ ରାଜା ଦୁର୍ଯ୍ୟୋଧନ,

"ଦେଖ ଅଙ୍ଗରାଜେ ! ବେଗେ ଆସେ ପାର୍ଥବୀର,

ସୁରାସୁର ଯୁଦ୍ଧେ ଯାର ନିର୍ଭୟ ଶରୀର,

ତୁଳାରାଶି ମହାବାତେ ଉଡ଼ଇ ଯେସନ,

ତେସନ ପଳାନ୍ତି ତ୍ରାସେ କୁରୁସୈନ୍ୟଗଣ;

ତୁମ୍ଭେ ସାହା ଥାଉଁ ସଖା ଘଟେ ଏ ଦୁର୍ଗତି !’’

ଶୁଣିଣ ରୁଷିଲା ବୀର କର୍ଣ୍ଣ ମହାମତି,

ଶଲ୍ୟଙ୍କୁ ଆଦେଶେ ବୀର, ‘‘ବେଗେ ନିଅ ରଥ,

ଆଜି ନିଶ୍ଚେଁ ପାର୍ଥକୁ କରିବି ରଣେ ହତ ।"

ଅଶ୍ୱଙ୍କୁ ସାରଥି କଲେ ଛାଟଣି ପ୍ରହାର,

ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର,

ହ୍ରେଷାରବେ ଦ୍ରୁତଗତି ଧାଇଁଲେ ଘୋଟକ,

ଘର୍ଘରି ଘୂରଇ ଚକ୍ର ଉଗାରି ପାବକ,

ମହାବୀର୍ଯ୍ୟବନ୍ତ ବୀର ସୂର୍ଯ୍ୟଙ୍କ କୁମର,

ଧୈର୍ଯ୍ୟ ବୀର୍ଯ୍ୟ ମହୀତଳେ ନାହିଁ ପଟାନ୍ତର,

ଗ‌ହନ ବିପିନେ ଯେହ୍ନେ ଅନଳ ଦୁର୍ବାର,

ତେସନେ ପାଣ୍ଡବବଳ କଲା ନାରଖାର,

ମସ୍ତକେ ଉଜ୍ଜ୍ୱଳ ଶୋହେ ସୁବର୍ଣ୍ଣ ମୁକୁଟ,

ମେରୁ ମହୀଧରେ ଯେହ୍ନେ ଶୋହେ ହେମକୂଟ;

ଗଜଧ୍ୱଜ-ରଥେ ବିଜେ ବୀରଚୂଡ଼ାମଣି,

କୋଦଣ୍ଡ ଟଙ୍କାରେ ମୁହୁ କମ୍ପଇ ଅବନୀ;

ଶ୍ରବଣେ କୁଣ୍ଡଳ ଦୋଳେ, ଶରଦେ ଯେମନ୍ତ

ପ୍ରାଚୀମୂଳେ ନିଶାଅନ୍ତେ ତାରା ଦୀପ୍ତିମନ୍ତ,

ଯେବେ ମହୋଦ‌ଧି ଜଳେ ଦେହ ଅବଗାହି,

ହସେ ପ୍ରାଚୀ-ଶିରେ ଧନୀ ଉଷାକୁ ଅନାଇ,

ସଦ୍ୟ ସିନ୍ଧୁସ୍ନାନେ ତନୁ ଦ୍ୱିଗୁଣ ଝଟକେ,

ଶିରୋମଣିରୂପେ ରାଜେ ରଜନୀ ଅଳକେ,

ଦୈତ୍ୟଯୁଦ୍ଧେ ଚଣ୍ଡତେଜା ଶିଖଣ୍ଡିବାହନ,

ନର୍ତ୍ତିତକିରୀଟ ଦେବ କାର୍ତ୍ତିକ ଯେସନ,

କୌରବଗୌରବରବି ରବିଙ୍କ ନନ୍ଦନ,

କୁରୁଯୁଦ୍ଧେ ଧନୁର୍ଦ୍ଧର ଦୁର୍ଦ୍ଧର୍ଷ ତେସନ;

କର୍ଣ୍ଣ ଦେଖି କୁରୁବଳ କଲେ ସିଂହନାଦ,

ଆତଙ୍ଗେ ପାଣ୍ଡବବଳ ଗଣିଲେ ପ୍ରମାଦ,

କର୍ଣ୍ଣ ଦେଖି ଭୀମସେନ ହେଲେ ଅଗ୍ରସର,

ବେଗେଣ ବିନ୍ଧଇ ବୀର ଖରଶାଣ ଶର ।

ଭୀମଙ୍କ ସ‌ହାୟ ହେଲେ ପାଣ୍ଡୁ ଯୋଧାଗଣ,

ସ‌ହଦେବ, ଧୃଷ୍ଟଦ୍ୟୁମ୍ନ, ଦୃପଦନନ୍ଦନ,

ଶିଖଣ୍ଡି, ନ‌କୁଳ ଆସି ମିଳିଲେ ସତ୍ୱର,

ସମସ୍ତଙ୍କୁ ନିବାରିଲା କର୍ଣ୍ଣ ଏକେଶ୍ୱର,

ବେନି ଶରେ ନ‌କୁଳକୁ କଲା ଅଚେତନ,

କଟାକ୍ଷେ ଛେଦିଲା ସ‌ହଦେବ ଶରାସନ,

ଚାରିବାଣେ ଧୃଷ୍ଟଦ୍ୟୁମ୍ନ ହୋଇଲେ ବିରଥ,

ହେଳେ ସଂହାରିଲା ପାଣ୍ଡୁ ସୈନ୍ୟ ଶତ ଶତ,

ଏକ ଶରେ ଭୀମର କାଟିଲା ଧନୁର୍ଗୁଣ,

ସୈନ୍ୟଭଙ୍ଗ ଦେଖି ଦୂରେ ଗର୍ଜିଲେ ଅର୍ଜୁନ,

ସଂଶପ୍ତକ ରଣେ ରତ ପାର୍ଥ ଧନୁର୍ଦ୍ଧର,

ଏଣେ ଆସିବାକୁ ତିଳେ ନାହିଁ ଅବସର,

ସଂଶପ୍ତକ ସେନାପତି କୃପ ମହାଶୟ,

ଯୁଝନ୍ତି ଅର୍ଜୁନ ସଙ୍ଗେ ନିର୍ଭୟହୃଦୟ,

ମହାରୋଷେ ବିନ୍ଧେ ବାଣ ପାର୍ଥ ମହାଶୂର,

ଶତ ଶତ ସଂଶପ୍ତକ ଗଲେ ପ୍ରେତପୁର,

କୃପଙ୍କୁ ବିନ୍ଧିଲେ ବକ୍ଷେ ତୀକ୍ଷ୍ଣତର ଶରେ,

ଶୋଣିତ ଉଗାରେ କୃପ ପଡ଼ି ରଥପରେ,

କଟାକ୍ଷ ପୁଣ୍ଡରୀକାକ୍ଷ ନେଲେ କପିଧ୍ୱଜ,

ଜୁଝଇ ଦୁର୍ଦ୍ଧର୍ଷ ଯହିଁ ଭାସ୍କରଆତ୍ମଜ,

କର୍ଣ୍ଣଙ୍କୁ ଦେଖିଣ ଗର୍ଜେ ପାର୍ଥ ବୀରମଣି,

ପକ୍ଷୀନ୍ଦ୍ର ଗରୁଡ଼ ଯେହ୍ନେ ଦେଖି ଭକ୍ଷ୍ୟ ଫଣୀ,

କର୍ଣ୍ଣାର୍ଜୁନମହାରଣ ନାହିଁ ପଟାନ୍ତର,

ଅନ୍ତରୀକ୍ଷେ କୁତୂହଳେ ଦେଖନ୍ତି ଅମର,

କଳିଙ୍ଗ ସଙ୍ଗତେ ଯୁଝେ ଦ୍ରୁପଦ କୁମର,

ଉଭୟେ ଯୁଝନ୍ତି ଯେହ୍ନେ ମତ୍ତ କରିବର,

ଧୃଷ୍ଟଦ୍ୟୁମ୍ନ ବିଶିଖେ କଳିଙ୍ଗ ହେଲେ ନାଶ,

ନିକାଶି ଦେବାକୁ ଗଲେ ଶସନସକାଶ,

ମହୋଦ‌ଧିତୀରେ ରମ୍ୟ ପ୍ରାସାଦେ ସେ ଥିଲେ,

ରଣ ନିମନ୍ତ୍ରଣ ରାଏ କୁକ୍ଷଣେ ଘେନିଲେ,

ସିନ୍ଧୁବାୟୁ-ବିଧୂନିତ ରମ୍ୟ ଉପବନ,

ସୁରମ୍ୟ ରମଣୀ ଛାଡ଼ି କଲେ ଆଗମନ,

ଆସିଥିଲେ ବୀରପଣ ଦେଖାଇବା ଆଶେ,

କୁରୁକ୍ଷେତ୍ରେ ପଡ଼ିଲେ ସେ ଗୋମାୟୁଗରାସେ,

କର୍ଣ୍ଣ ଏଡ଼ି କୃତବର୍ମା ସଙ୍ଗେ ଯୁଝେ ଭୀମ,

ପ୍ରତାପେ ଅନନ୍ତ ସମ ରଣେ ଅପ୍ରତିମ,

କୃତବର୍ମା ସ‌ହାୟ ହୋଇଲେ ଦୁର୍ଯ୍ୟୋଧନ,

ଉଗ୍ରାୟୁଧ ଦୁଃଶାସନ ବୀର ବିରୋଚନ,

ସମସ୍ତଙ୍କୁ ନିବାରଇ ଭୀମ ଅବ‌ହେଳେ,

ମତ୍ତ ମତଙ୍ଗଜ ଯେହ୍ନେ ନଳବନେ ଖେଳେ,

ଗଦାଘାତେ ଦୁର୍ଯ୍ୟୋଧନ ରଥ ହେଲା ଚୂର୍ଣ୍ଣ,

ଶୋଣିତେ ସମରସ୍ଥଳୀ ହେଲା ସେ ପିଶୁନ,

ସାରଥି ସ‌ହିତେ କୃତବର୍ମା ରଥ ହୟ,

ଉଗ୍ରାୟୁଧ ବିରୋଚନ ଗଲେ ଯମାଳୟ,

ରଥୁଁ ଖସି ବେନି ଭାଇ ପଡ଼ିଲେ ଧରାରେ,

ପୁଷ୍ପିତ ଶାଳ୍ମଳୀ ଯେହ୍ନେ ପଡ଼ଇ କାନ୍ତାରେ,

ଚଡ଼ଚଡ଼ ଚଡ଼େ ଯେବେ ପଡ଼ଇ ଚଡ଼କ,

ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ,

ପତନେ କବଚ ଗାତ୍ରେ ବାଜଇ ଝନ୍‍ଝନ,

ଇଷ୍ଟଦେବ ସ୍ମରି ଶୂରେ ମୁଦିଲେ ନୟନ,

ବଡ଼ ପ୍ରିୟ ବେନି ଏହୁ ଥିଲେଟି ରାଜାର,

ଦୁରନ୍ତ କୃତାନ୍ତ କିଛି ନ‌ କଲା ବିଚାର,

କୋମଳ ଶ‌ୟନେ ଦୁହେଁ ନିତ୍ୟ ଶୋଉଥିଲେ,

କୁରୁକ୍ଷେତ୍ରେ ଏବେ ମହାନିଦ୍ରାକୁ ଭଜିଲେ !

ଭ୍ରାତୃଶୋକେ ଦୁଃଶାସନ ନେତୃ ଜଳ ଝରେ,

ମହାକ୍ରୋଧେ ଅଗ୍ରସର ହେଲେ ସେ ସମରେ,

ଦେଖି କ୍ଷେତ୍ରେ କ୍ଷତ୍ରଗ୍ଳାନି ଦୁଷ୍ଟ ଦୁଃଶାସନ,

ବଜ୍ରନାଦେ ଗଜ ଭୀମ ଧାଇଁଲେ ତକ୍ଷଣ ।

ରୌଦ୍ରରୂପୀ ମହାବୀର ଧାଇଁଲେ ସରୋଷେ,

ବାଜଇ ଉରୁରେ ଅସି ଗୁରୁ ଅସିକୋଷେ,

'ଏତେଦିନେ' କ‌ହେ ଭୀମ ଗର୍ଜିଣ ନିର୍ଘାତେ,

ଏତେଦିନେ ଆରେ ଦୁଷ୍ଟ ! ପଡ଼ିଲୁ ମୋ ହାତେ,

କ୍ଷତ୍ରିକୁଳ କୁଳାଙ୍ଗାର ଆରେ ରେ ନିର୍ବୋଧ !

ପୂର୍ବ‌ ଋଣ ଆଜି ରେ କରିବି ପରିଶୋଧ ।’’

ପ୍ରଚଣ୍ଡେ ଆୟସୀ ଗଦା ଆସ୍ଫାଳି ଭିଷଣେ,

ଧାଏଁ ଭୀମ, ଧକଧକେ ଅନଳ ଲୋଚନେ,

ତ୍ରାସେ ଦୁଃଶାସନ ବୀର ବେଗେ କ୍ଷେପେ ଶର,

ନିବାରେ ବୁଲାଇ ଗଦା ଭୀମ ଗଦାଧର;

ତ୍ରସ୍ତେ ବ୍ୟସ୍ତେ ଦୁଃଶାସନ ଅନ୍ୟ ଅସ୍ତ୍ର ମାରେ,

ସେହିରୂପେ ବୃକୋଦର ସେ ଅସ୍ତ୍ର ନିବାରେ,

ଗଦାଘାତେ ଦୁଃଶାସନ ରଥ ଭୀମ ନାଶେ,

ଲଜ୍ଜା ଏଡ଼ି ଦୁଃଶାସନ ପଳାନ୍ତି ତରାସେ,

ଅନ୍ତରୀକ୍ଷେ କପୋତକୁ ଦେଖିଣ ସଞ୍ଚାଣ,

ବଜ୍ରନଖ ଧାଏଁ ଯେହ୍ନେ ବିଜୁଳି ସମାନ,

ଇତର ପକ୍ଷିଏ କରୁଥାନ୍ତି କୋଳାହଳ,

ଏଣେ ତେଣେ ନିଜ ପ୍ରାଣ ଆତଙ୍କେ ବିକଳ,

କପୋତ ସଞ୍ଚାଣ ମୁଖ ଏଡ଼ାଇବା ଆଶେ,

ଆତଙ୍ଗେ ବିବିଧ ରଙ୍ଗେ ଉଡ଼ଇ ଆକାଶେ,

କ୍ଷଣେ ଉଠେ, କ୍ଷଣେ ପଡ଼େ, କ୍ଷଣେ ଉଲଟଇ,

କିଛି ଦୂରେ ଯାଇ ପୁଣି ଖରେ ଲେଉଟଇ,

ଅନ୍ତରୀକ୍ଷେ ବ୍ୟଗ୍ର ନେତ୍ରେ ଆଶା ଲୋଡ଼ୁଥାଏ,

ଜୀବନ ବିକଳେ ମୁହୁ ସଞ୍ଚାଣକୁ ଚାହେଁ,

ତେସନେ ପଳାଏ ରଣେ ଦୁଷ୍ଟ ଦୁଃଶାସନ,

କ୍ଷଣେ ରହେ, କ୍ଷଣେ ଧାଏଁ, ଭୟେ ଉଚ୍ଚାଟନ,

ଆକୁଳେ କୌରବବଳ କଲେ ହାହାକାର,

ଧାଏଁ ଭୀମସେନ ବେଗେ ନକ୍ଷତ୍ର ଆକାର,

କାଞ୍ଚନ-କିରୀଟ-ଚୂଡ଼ା ଦୋଳଇ ମସ୍ତକେ,

କାଞ୍ଚନ କଞ୍ଚୁକ ଦେହେ ଉଜ୍ଜ୍ଵଳ ଝଟକେ,

କଟାକ୍ଷେ ଧରିଲା ଯାଇଁ ଦୁଃଶାସନ ବାଳ,

ଗର୍ଜ୍ଜଇ ବିକ୍ରମେ ମୁଖ କରି ବିକଟାଳ,

ଆତଙ୍କେ କମ୍ପଇ ମୁହୁ ଦୁଃଶାସନ ଅଙ୍ଗ,

କେଶରୀ କବଳେ ଯେହ୍ନେ ପଡ଼ିଲା କୁରଙ୍ଗ,

କହେ ଦୁଃଶାସନ ବୀର ବିନୟ ବଚନ,

‘‘ଆହେ ବୀରମଣି ! ରଖ ରଖ ଏ ଜୀବନ,

ପଳାୟକ ଅଟଇ ମୁଁ ନିରସ୍ତ୍ର ଆବର,

ବୀରଧର୍ମୀ ଅବିଦିତ ନୁହଇ ତୁମ୍ଭର ।’’

କ‌ହେ ଭୀମ ମହାବାହୁ ‘‘ଆରେ ରେ ପାମାର !

ବିପଦେ ପଡ଼ିଣ ଏବେ ଧର୍ମକୁ ‘‘ସୁମର,

କାହିଁ ଥିଲା ଧର୍ମରେ କପଟପାଶା ବେଳେ ?

କୃଷ୍ଣାକୁ ବିବସ୍ତ୍ର ଯେବେ କଲୁ ଅବ‌ହେଳେ ।

ଅଧର୍ମୀ ସ‌ହିତେ ଧର୍ମ ନୁହେଁ ପାଳିବାର,

କପଟୀ ସ‌ହିତେ ଯୁକ୍ତ କପଟ ବେଭାର,

ମୃଗ ସଙ୍ଗେ ଯେଉଁ ଧର୍ମ ଆଚରେ ଶାର୍ଦ୍ଦୂଳ,

ଭେକ ସଙ୍ଗେ ଭୁଜଙ୍ଗମ, ଭୁଜଙ୍ଗେ ନ‌କୁଳ,

କରୀ ସଙ୍ଗେ ଯେଉଁ ଧର୍ମ ଆଚରେ କେଶରୀ,

ଶତ୍ରୁ ସଙ୍ଗେ ଶତ୍ରୁ ପଣେ ସେହି ଧର୍ମ ଧରି ।

ନୁହଇ ମୁଁ କାପୁରୁଶ, ଅସ୍ତ୍ର ନ ଧରିବି,

ବିନା ଅସ୍ତ୍ରେ ପାମର ! ତୋ ପରାଣ ହରିବି,

ବାନ୍ଧ ତୁ ସାହସ ହୃଦେ ଆରେ ଦୁରାଶୟ !

ଏ କାଳେ ସାହସ ତୋର ଲୋଡ଼ା ଅତିଶୟ ।’’

ଏହା ବୋଲି ଗଦା ଫିଙ୍ଗି ଦେଲା ବୃକୋଦର,

ନିରାଶେ ସାହସ ଦୁଃଶା ବାନ୍ଧିଲା ମନର,

ମହାବଳେ ଭୀମଙ୍କୁ ସେ ଧରିଲା ଆକଟି,

ବେନିଭୁଜେ ଭିଡ଼ି ଧରେ ବୃକୋଦର କଟି,

ପଡ଼ିଲେ ଭୂତଳେ ଭୀମ ଗର୍ଜି ଭୀମନାଦେ,

ମାଡ଼ି ବସି ଦୁଃଶାସନ ବୈରିଶୋଧ ସାଧେ,

ନିର୍ଘାତେ ପ୍ରହାରେ ମୁଷ୍ଟି ଭୀମଙ୍କ ମସ୍ତକେ,

କୁରୁବଳ ସାଧୁବାଦ ଦେଲେ ସେ ପୁଲକେ ।

ଭୟେ ପାଣ୍ଡୁବଳେ ପଡ଼ିଗଲା ହାହାକାର,

ଆକୁଳ ନ‌କୁଳ ନେତ୍ରୁ ବରଷେ ଆସାର,

ଆକୁଳ ଅର୍ଜୁନ ନେତ୍ରୁ ଝରେ ଅଶ୍ରୁଜଳ,

ବିକଳେ ପାଣ୍ଡବବଳ କାନ୍ଦିଲେ ସକଳ,

ଶ୍ରୀଭୁଜେ ବାନରଧ୍ୱଜେ ପୋଛି ଅଶ୍ରୁନୀର,

କାନ୍ଦନ୍ତି ନୀରବେ ବସି ପ୍ରଭୁ ଯଦୁବୀର,

ଯେସନ ବରଷାଗମେ ମାନସରୋବର

ଅସଂଖ୍ୟ ମରାଳ ରବେ ହୁଅଇ ମୁଖର,

ତେସନ ମୁଖରି କ୍ଷେତ୍ର ଦୁଃଖ-କଳରବେ,

ସୋଦର ବିପଦ ଦେଖି କାନ୍ଦିଲେ ପାଣ୍ଡବେ,

ମହାବୀର ସ‌ହଦେବ ବଦନ ସ‌ହାସ,

ବିସ୍ମୟେ ପୁଚ୍ଛନ୍ତି ତାଙ୍କୁ ପ୍ରଭୁ ଶ୍ରୀନିବାସ,

"କ‌ହ ବୀର କିମ୍ପା ତୋର ହରଷ ବଦନ ?

ଅଗ୍ରଜ ବିପଦେ ହର୍ଷ ନୁହଇ ଶୋଭନ ।"

ଶୁଣି ବାସୁଦେବ ବାଣୀ କ‌ହେ ମାଦ୍ରୀସୁତ,

"କାହିଁକି କାତର ଏଡ଼େ ହେଉ ତୁ ଅଚ୍ୟୁତ ?

କି ଅବା ନ ଜାଣୁ ନାଥ, ଜଗତର ସ୍ୱାମୀ,

ଜାଣୁ ଜାଣୁ କାନ୍ଦୁ ନାଥ, ଅଟୁ ଅନ୍ତର୍ଯ୍ୟାମୀ,

ବାଲ୍ୟେ ଲଭିଥିଲେ ଭୀମ ଶତଶୃଙ୍ଗ ଶାପ,

ତ‌ହୁଁ ଆଦ୍ୟ ରଣେ ପାଉଛନ୍ତି ମନସ୍ତାପ,

ତୁ ନାଥ ଭୀମଙ୍କୁ ବେଗେ କରାଅ ଚେତନ,

ଶତଶୃଙ୍ଗ ଗିରିଙ୍କୁ ସେ କରନ୍ତୁ ସ୍ମରଣ,

କାହିଁ ଭୀମ ରଣସିଂହ, କାହିଁ ଦୁଃଶାସନ !

ଶାପ ଯୋଗୁଁ ଉପୁଜିଲା ଦୁର୍ଗତି ଏସନ ।’’

ପାଞ୍ଚଜନ୍ୟ ଶଙ୍ଖନାଦ କଲେ ନାରାୟଣ,

ନିଜ ତେଜ ଭୀମଙ୍କୁ ସେ ଦେଲେ ସେହକ୍ଷଣ,

‘‘ଶତଶୃଙ୍ଗ,’’ ‘‘ଶତଶୃଙ୍ଗ,’’ ଘୋଷେ ଶଙ୍ଖବର,

ପଶିଲା ଶବଦ ଯାଇ ଭୀମଙ୍କ କର୍ଣ୍ଣର,

ଚେତନା ଲଭିଣ ବୀର କଟାକ୍ଷେ ଉଠିଲା,

ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା,

ରଣରଙ୍ଗେ ସିଂହ ସମ ଅଟେ ବାୟୁସୁତ,

ମହାବୀର୍ଯ୍ୟବନ୍ତ ସେହୁ ବିକ୍ରମେ ଅଦ୍ଭୁତ,

ମହାବିଷ୍ଣୁ ତେଜେ ବୀର ତେଜସ୍ୱୀ ଆବର,

ହେଲା ସେ ବିରାଟ ମୂର୍ତ୍ତି ମହାଭୟଙ୍କର,

ମହାଶବ୍ଦେ ଭୂତଳେ ପଡ଼ିଲା ଦୁଃଶାସନ,

ବଜ୍ରଘାତେ ଶାଳତରୁ ପଡ଼ଇ ଯେସନ

ବିନ୍ଧ୍ୟାଚଳ ତୁଙ୍ଗଶୃଙ୍ଗେ, କୁରୁପାଣ୍ଡୁ ବଳ,

ଆତଙ୍କେ ଅବଶ ଚକ୍ଷୁ ବୁଜିଲେ ସକଳ,

ପର୍ବତ ଆକାରେ ପଡ଼ିଅଛି ଦୁଃଶାସନ,

ବସିଅଛି ତା ଉପରେ ପବନନ‌ନ୍ଦନ,

ଭୟଙ୍କର ହୁଙ୍କାରେ ଅଧରେ ଦନ୍ତ ଚାପି,

ରେରେକାର କରିଣ ଗର୍ଜଇ କାଳରୂପୀ,

ଗ‌ଗନ ମାର୍ଗକୁ ତୋଳୁଅଛି ବଜ୍ରମୁଷ୍ଟି,

କିଅବା ମନ୍ଦରଗିରି ପଡ଼ୁଅଛି ତୁଟି,

କାଳଚକ୍ର ପ୍ରାୟେକ ବୁଲାଇ ବେନି ଡୋଳା,

ଚରଣେ ଚାପଇ ଭୀମ ଦୁଃଶାସନ ଗଳା,

"ଆରେ ଆରେ ଦୁଃଶାସନ, ଦୁରନ୍ତ କୌରବ !

ଏବେ ତୋ ଗରବ ରଣେ ହେଲା ପରାଭବ !

ଶତ ପୁତ୍ର ଜାତ କଲା ତୋହର ଜନନୀ,

ସମସ୍ତେ ମୋ ଅସ୍ତ୍ରାଘାତେ ଶୋଇବେ ଅବନୀ,

ଧାତାର ଲେଖନ ଏହୁ କେ କରିବ ଆନ ?

ଆରେ ଦୁଷ୍ଟ ! ଆଜି ତୋର ନାହିଁ ପରିତ୍ରାଣ,

କାଲିରେ ସମରେ ପଳାଇଲୁ ମୋ ଆଗରୁ,

ଆଜି ରେ ପାଇଲି ଭେଟ ଦଇବଯୋଗରୁ,

ଆରେ ମୂର୍ଖ ! ଆଜି ତୋତେ କରିଣ ସଂହାର

କରିବି ଦ୍ରୌପଦୀ ଚିର-ଦୁଃଖ ଆଜି ପାର,

ଆରେ ଦୁଷ୍ଟ ! କେ ରଖିବ ତୋତେ ରବି ତଳେ ?

ଦୁରନ୍ତ ପଡ଼ିଲୁ ନିଶ୍ଚେ କୃତାନ୍ତ କବଳେ ।"

ତରାଟି ଚାହିଁଲା ଭୀମ ବିରାଟମୂରତି,

ତରାଟି ଚାହିଁଲା ରୋଷେ ଅନ୍ତରୀକ୍ଷ ପ୍ରତି;

ଗର୍ଜିଣ କ‌ହିଲା, "ଆହେ ଆହେ ସୁରଗଣ !

ଆହେ ସୁରନାଥ ଇନ୍ଦ୍ର, ଶୈଳ-ବିଦାରଣ !

ପବନ, ତପନ, ଯମ, ବ୍ରହ୍ମା ଆଦିକରି,

ମିଳ ଏ ସମରେ ଆସି କରେ ଶସ୍ତ୍ର ଧରି,

ଆସ କେ ରଖିବ ରଖ କୌରବ ପାମର,

ଆସ ଆସ ବେଗ କରି ବିଳମ୍ବ ନ କର ।’’

ଭୀମର ଭୀଷଣ ବାଣୀ ଶୁଣି ସୁରଗଣେ,

ତ୍ରାସିଲେ ଦାନବ-ତ୍ରାସ ବାସବ ଆପଣେ ।

ଥରହର କମ୍ପିଲା ସୁବର୍ଣ୍ଣ-ନିକେତନ,

ମଣିଚୂଡ଼, ଥରହର କମ୍ପିଲା ଆସନ,

ମହାପ୍ରଳୟେ ଯେସନ ପ୍ରଭୁ ଦିଗମ୍ବର-

ଭୀଷଣ-ବିଷାଣନାଦେ କମ୍ପେ ଥରହର

ତିନିପୁର, ଭୀମସେନ ଭୟଙ୍କର ନାଦ,

ଶୁଣି ମରାମର ଜୀବେ ଗଣିଲେ ପ୍ରମାଦ ।

ମହାଭୟେ ପାଣ୍ଡୁ-ଗଣ୍ଡ ହେଲେ ଆଖଣ୍ଡଳ,

ମହାଭୟେ ପାଣ୍ଡୁ-ଗଣ୍ଡ ହେଲେ ଦେବଦଳ,

କେହି ଅଗ୍ରସର ଯେହୁଁ ନ ହେଲେ ତରାସେ,

ଦୁଃଶାସନ ଚାହିଁ ଭୀମ କ‌ହନ୍ତି ସ‌ହାସେ,

ସେ ବିକଟ ହାସ୍ୟ ଦେଖି ଡରିଲା ସଂସାର !

ଗର୍ଜିଣ କ‌ହନ୍ତି ଭୀମ, "ଆରେ କୁଳାଙ୍ଗାର !

ଆରେ ଦୁଃଶାସନ କେହି ରଖି ନ ପାରିଲେ !’’

ପାତାଳପୁରକୁ ଭୀମ ପୁଣି ସେ ଚାହିଁଲେ,

‘‘ଆହେ ନାଗଲୋକ ହେ ଅନନ୍ତ ଧରାଧର !

ଧରଣୀ ଧାରଣ ତୁମ୍ଭେ କର ମସ୍ତକର,

ସପ୍ତଲୋକେ ଶ୍ରେଷ୍ଠ ଅଟ ତୁମ୍ଭେ ନାଗେଶ୍ୱର,

ପାରିଲେ ରଖ ହେ ଆସି କୌରବ ପାମର ।’’

କାମରୂପୀ ବୃକୋଦର ଚାହାଁନ୍ତେ କରାଳ,

ଥର ଥର କମ୍ପିଲା ସେ ସପତ ପାତାଳ,

ନାଗଲୋକ ତ୍ରାସିଲେ ଭୀମର ମୂର୍ତ୍ତି ଚାହିଁ,

ଆତଙ୍କେ ଅସ୍ଥିର ହେଲେ ନାଗଲୋକ ସାଇଁ,

କେହି ନ ଆସିଲେ ଯହୁଁ ଭୀମଙ୍କର କତି,

ସରୋଷେ ଚାହିଁଲେ ଭୀମ କୁରୁଥାଟ ପ୍ରତି,

କୁରୁବଳ ପାଣ୍ଡୁବଳ ହେଲେ ସ୍ତମ୍ଭୀଭୂତ,

ଗମ୍ଭୀରେ ଅମ୍ବରେ ଯେହ୍ନେ ହୁଙ୍କାରେ ଜୀମୂତ,

ଗର୍ଜିଣ କ‌ହଇ ଭୀମ ଭୀମ‌ପରାକ୍ରମ,

କୌରବ ସଂହାରେ ଯେହ୍ନେ କାଳାନ୍ତକ ଯମ,

ଦୁଇଦଳ ଅନାଇ ସେ ରହିଲେ ସ୍ତିମିତେ,

ଭୈରବ ହୁଙ୍କାରେ ଭୟ ଉପୁଜିଲା ଚିତ୍ତେ ।

"ଆରେ ଦୁର୍ଯ୍ୟୋଧନ, ଆରେ କୁରୁ-ଦୁରାଚାର !

ଆରେ କର୍ଣ୍ଣ ଅବିନୟ-ତରୀ-କର୍ଣ୍ଣଧାର !

ଆହେ କୁରୁ ସେନାପତି ମହାଧନୁର୍ଦ୍ଧର !

ହେ ସୌବଳ ଦ୍ୟୁତଜୟୀ, ହେ ଦ୍ରୋଣକୁମର !

ଆହେ ମହାବୀର ! ଏହା କେମନ୍ତେ ସ‌ହିବ ?

ତୁମ୍ଭେ ଥାଉଁ ଥାଉଁ ଦୁଃଶାସନ ନାଶ‌ ଯିବ !

ବଡ଼ ପ୍ରିୟ ଦୁଃଶାସନ ଅଟଇ ତୁମ୍ଭର !

ଆସ ରକ୍ଷା କର ବେଗେ ପ୍ରିୟ ସ‌ହୋଦର !

ସମ୍ପଦକାଳକୁ ସଖା ସମସ୍ତେ ତ ଥିଲ !

ବିପଦକାଳରେ କେହି କତି ନ ପଶିଲ !"

ପୁଣି କୁରୁଯୋଧାଙ୍କୁ ସମ୍ବୋଧି ବୃକୋଦର

ସଦର୍ପେ କ‌ହଇ, "ଆହେ ଆହେ ଅସ୍ତ୍ରଧର

ଶୂରେ ! ଭଲା ଆସି ରଖ ଦୁଃଶାସନ ଜୀବ !

ଏତେ ସଖା ଥାଉଁ ଦୁଃଶାସନ ନାଶ ଯିବ !

କୁରୁ ନୃପତିର ଧନ ଭଣ୍ଡାର ଖାଇଲ,

ବିପଦ କାଳକୁ କେହି ସାହା ନ ହୋଇଲ !’’

କେହି ନ ଆସିଲେ ଯହୁଁ ଗର୍ଜି ବୃକୋଦର

ଦୁଃଶାସନ ମୁଖ ଚାହିଁ କ‌ହିଲେ ‘‘ବର୍ବର !

ଆରେ ରେ ଦୁରନ୍ତ ! କେହି ନ ଆସିଲେ କତି,

ଯାର ଆଜ୍ଞାବଳେ ଯାଜ୍ଞସେନୀଙ୍କ ଦୁର୍ଗତି

କଲୁ ଦୁଷ୍ଟ ! ନୋହିଲା ସେ ଏତେବେଳେ ସାହା,

ରଖି ନ ପାରିଲା ତୋର ଶିର କୁରୁନାହା !"

ପୁଣି ସେ ଚାହିଁଲା ବୀର ନିଜ ଥାଟ ପ୍ରତି,

"ଆସି ସାହା ହୁଅ ଯାର ଅଛଇ ଶକତି,

କେ ଆସିବ ବେଗେ ଆସ, ରଖ ଦୁଃଶାସନ,

ଦେଖାଅ ଯାହାର ଯେତେ ଅଛି ବୀରପଣ ।’’

‘‘ହେ କିରୀଟି ! ଧର ତୁମ୍ଭେ କୋଦଣ୍ଡ ଗାଣ୍ଡୀବ,

ପାରିଲେ ରଖ ହେ ବୀର ଦୁଃଶାସନ ଜୀବ,

ତ୍ରିଭୁବନେ ମହାବୀର ବୋଲାଉ ଅର୍ଜୁନ !

ଅଛି ତୋର ଅକ୍ଷୟ ସେ ଶରପୂର୍ଣ୍ଣ ତୂଣ,

ଧ୍ୱଜେ ବିରାଜଇ ତୋର ବୀର ହନୁମାନ,

ସାରଥି ଅଟନ୍ତି ତୋର ପ୍ରଭୁ ଭଗବାନ,

ପାଶୁପତ ଅସ୍ତ୍ର ସିଦ୍ଧ ଅଟଇ ତୋହର,

ତୁ ପାରିଲେ ରଖ ବୀର ! କୌରବ ପାମର ।’’

‘‘ହେ ମୁରାରି ! ସୁଦର୍ଶନ‌ଧାରୀ ଯଦୁବୀର !

ତୁ ପାରିଲେ ରଖ ଦୁଃଷ୍ଟ ଦୁଃଶାସନ ଶିର ।’’

ନିଜ ନିନ୍ଦା ଶୁଣି ପାର୍ଥ ଥିଲେ ନିରୁତ୍ତର,

ବାସୁଦେବ ନିନ୍ଦା ଶୁଣି ରୁଷିଲେ ଆବର,

ବିଜୟ ଗାଣ୍ଡୀବେ ବୀର ଖଞ୍ଜିଲେ ସାୟକ,

ଧରିଲେ କିରୀଟି-କର ରୁକ୍ମିଣୀ ନାୟକ,

ବୋଲନ୍ତି ଗାଣ୍ଡୀବୀ, ‘‘ପ୍ରଭୁ ! ନ କର ବାରଣ,

ନିଶ୍ଚେ ମୁଁ ରଖିବି ଭୀମକୋପୁଁ ଦୁଃଶାସନ,

ସହି ମୁଁ ପାରଇ ସବୁ, ତୁମ୍ଭ ନିନ୍ଦାବାଣୀ

କେଭେଁ ନ ସହିବି, ଏ ମୋ ପଣ ଚକ୍ରପାଣି !

ନିଶ୍ଚେ ଏ ନାରାଚେ ମୁଣ୍ଡ ହାଣିବି ଭୀମର,

ତୁମ୍ଭ ନିନ୍ଦା ଯେ କରେ ସେ ନୁହେ ମୋ ସୋଦର ।’’

ହୁଞ୍ଚୁଡ଼ି ଗାଣ୍ଡୀବ ନେଲେ ପ୍ରଭୁ ଚକ୍ରପାଣି,

‘‘ ଛାଡ଼ ଛାଡ଼ ଭୀମ ମୁଣ୍ଡ ନ ପକାଅ ହାଣି !

କାହାକୁ କରୁ ତୁ କୋପ ଆହେ ଧନଞ୍ଜୟ !

ଯାର ଇଚ୍ଛାବଳେ କ୍ଷଣେ ହୁଅଇ ପ୍ରଳୟ,

ତା ତେଜେ ତେଜସ୍ୱୀ ଭୀମ ଅଟଇ ସମ୍ପ୍ରତି,

ଧରିଅଛି ମହାବୀର ସଂହାରମୂରତି,

ନାହିଁ ବିଶ୍ୱେ ଭୀମକୁ ଯେ ସମରେ ଜିଣିବ,

ତୁ ପୁଣି ଦେଖାଉ ତାକୁ ଏ ଛାର ଗାଣ୍ଡୀବ !

ଏ ରୂପେ ନାଶିଲି ମୁହିଁ ହିରଣ୍ୟକଶିପ,

ଏ ରୂପେ ନାଶଇ ମୁହିଁ ଧର୍ମ୍ମର ଯେ ରିପୁ,

ଧର୍ମ୍ମର ସହାୟ ସଦା ଏ ମୂର୍ତ୍ତି ମୋହର,

ଧର୍ମ୍ମଦ୍ରୋହୀ ପାପୀ ପକ୍ଷେ ମହାଭୟଙ୍କର !’’

ଏମନ୍ତ ବୋଲନ୍ତେ ସିନ୍ଧୁ ସୂତା-ପ୍ରାଣଧନ,

ନିଶ୍ଚଳେ ବସିଲେ ରଥେ ନରନାରାୟଣ ।

ଚାହିଁ ସହଦେବ ପ୍ରତି କହେ ଭୀମବୀର,

‘‘ବେଗେ ବିଜେ କର ବାବୁ ! ପାଣ୍ଡବଶିବିର,

ପାଣ୍ଡବ-କେଶରୀ-ରାଣୀ ଆଣ ଯାଜ୍ଞସେନୀ,

ଦୁଃଶାରକ୍ତଲିପ୍ତହସ୍ତେ ବାନ୍ଧିବି ତା ବେଣୀ ।’’

ଶୁଣି ଭୀମସେନ-ବାଣୀ ମନ୍ତ୍ରିଚୂଡ଼ାମଣି

ବେଗେ ବିଜେ କଲେ ଯହିଁ ପାଣ୍ଡବରମଣୀ,

ବସିଥିଲେ ସତୀ ପତି-ଆଗମନ ଆଶେ,

ମିଳିଲେ ଶୂରେନ୍ଦ୍ର ଯାଇଁ ସତୀଙ୍କ ସକାଶେ ।

ଦରହସିତ ବଦନ ଦେଖିଣ ତାଙ୍କର

ପଚାରନ୍ତି ଦେବୀ, କହ ବାରତା ଯୁଦ୍ଧର ।

ବୋଲେ ସହଦେବ,‘‘ଦେବି ! ବିଜେ କର ରଥେ,

ଏହିକ୍ଷଣି ଚାଲ ଭୀମସେନଙ୍କ ଅଗ୍ରତେ,

ଭୀମସେନ ଠାକୁରଙ୍କ ଅଟେ ଏ ଆଦେଶ,

ବାନ୍ଧିବେ ସେ ଆଜ ତୋର ଚିରମୁକ୍ତ କେଶ,

ଏତେଦିନେ କଷ୍ଟ ଦେବି ! ହେଲା ଅବସାନ,

କପଟପାଶାରେ ଦୁଷ୍ଟ କଲା ଅପମାନ,

ଲଭିବ ଉତ୍କଟ ଆଜି ତାର ପ୍ରତିଫଳ,

ଦୁଃଶାସନ ରକ୍ତେ ଧରା ହେବ ସେ ଶୀତଳ ।’’

ଶୁଣିଣ ଦ୍ରୌପଦୀ ଦେବୀ ଅନ୍ତରେ ସତ୍ରାସ,

ବେଗେଣ ମିଳିଲେ ଯାଇ ଭୀମସେନ ପାଶ,

ମହାମନ୍ତ୍ରୀ ପାଣ୍ଡବ-ସମ୍ରାଟ-ପାଟରାଣୀ-

-ହସ୍ତ ଧରି ଭୀମ ଆଗେ ଭେଟାଇଲେ ଆଣି ।

ପଡ଼ିଅଛି ଦୁଃଶାସନ ପର୍ବତଆକାରେ,

ବସିଣ ଉପରେ ଭୀମ ନିର୍ଘାତେ ପ୍ରହାରେ,

କାଳରୂପୀ ଭୀମସେନ ଭୈରବ ମୂରତି

ଦେଖିଣ ତ୍ରାସିଲେ ମନେ ପାଣ୍ଡବଯୁବତୀ,

ଆସନ୍ତେ ଦ୍ରୌପଦୀ କର ଧରିଣ ମନ୍ତ୍ରିର,

‘‘ଆସ ଆସ ଦେବି ଗୋ !’’ ଡାକଇ ଭୀମବୀର,

‘‘କୁରୁସଭାତଳେ ବସ୍ତ୍ର କଲା ଯେ ହରଣ,

ଚିହ୍ନିବଟି ଏହିଟିକି ସେହି ଦୁଃଶାସନ !

ଭଲ କରି ଦେଖ ମୋର ଭ୍ରାତାଙ୍କ ବଦନ,

ଉପକାରୀ ପୁରୁଷ ଗୋ ଅଟନ୍ତି ଏ ଜନ,

କେତେ କେତେ ଦଣ୍ଡ ତୋତେ କୁରୁସଭାତଳେ

ଦେଇଥିଲେ ବିଜ୍ଞମଣି କୁରୁଆଜ୍ଞାବଳେ !’’

ଉତ୍ତାନେ ପତିତ କୁରୁ ଭ୍ରାତା ମୁଖ ଚାହିଁ,

ଜଳଦଗମ୍ଭୀର ସ୍ୱନେ କହେ ଭୀମ ରାଇ,

‘‘ଆରେ ଦୁଃଶାସନ ! ତୋତେ ଛାଡ଼ିଲା ଦଇବ,

ତିନିପୁରେ ରଖି ନ ପାରିଲେ ତୋର ଜୀବ,

ଦ୍ୱିଜକୁଳଚୂଡ଼ାମଣି ଦ୍ରୁପଦରାଜନ

ଶତ ଋଷି ଘେନି କଲେ ଯଜ୍ଞ ଆୟୋଜନ,

ହୋମାନଳ ବିଦାର ଉଠିଲେ ଯେ ରମଣୀ,

ସାଧ୍ୱୀପଣେ ଯେ ନାରୀକୁ ଶ୍ରେଷ୍ଠ ବୋଲି ଗଣି,

ତୁ ଛାର ପାମର ରେ ଧରିଲୁ ତାର କେଶ,

ଗୁରୁ ଆଗେ ଅପମାନ କଲୁ ରେ ଅଶେଷ,

ପାଣ୍ଡୁ-କୁଳ-ପାଟରାଣୀ କୃଷ୍ଣା ଯାଜ୍ଞସେନୀ,

ଆକର୍ଷି ଝିଙ୍କିଲୁ ରେ ପାମର ! ତାର ବେଣୀ,

କାଳେ କର୍ମବୃକ୍ଷ ଫଳେ ଶାସ୍ତ୍ରର ଏ ଲେଖା,

ତୋହୋ କର୍ମ୍ମଫଳ ଏତେ ଦିନେ ଦେଲା ଦେଖା

ଦଶନଖେ ବିଦାରିବି ତୋର ବକ୍ଷସ୍ଥଳ,

ତେବେ ସେ ମୋହର ହିଆ ହୋଇବ ଶୀତଳ;

ଏବେ ଇଷ୍ଟଦେବଙ୍କୁ ସ୍ମର ରେ ବୀର ଦୁଃଶା !

କରିବି ସମ୍ପ୍ରତି ତୃପ୍ତ ମୋ ରୁଧିରତୃଷ୍ଣା,

ପଡ଼ଇ କି ମନେ ତୋର ଆରେ କୁରୁ କ୍ରୂର !

ଦାସୀପଣେ କୃଷ୍ଣାକୁ ଝିଙ୍କିଲୁ ଅନ୍ତଃପୁର

ଯେ କାଳେ, ସହସା ମହୀ-କମ୍ପିଲେ ବିକଳେ,

ଟଳିଲା ହସ୍ତିନାହର୍ମ୍ମ୍ୟରାଜି ଟଳଟଳେ,

ଚନ୍ଦ୍ରଶାଳାଚୂଡ଼େ ବସି ରାବିଲେ ପେଚକ,

ଆଚମ୍ବିତେ ନଭୋଦେଶେ ଶୁଭିଲା ଚଡ଼କ,

ରାବିଲେ ଭୀଷଣ ରାବେ ଗୋମାୟୁ ଗର୍ଦ୍ଦଭ,

ସଭାସ୍ଥଳେ ଶୁଭିଲା ସେ ଭୟଙ୍କର ରବ,

ଚକିତ ହୋଇଲେ ସର୍ବେ ଭୀଷ୍ମ ଦ୍ରୋଣ ଆଦି,

ସ୍ୱସ୍ତି ସ୍ୱସ୍ତି ଉଚ୍ଚାରିଲେ ଋଷି ବ୍ରହ୍ମବାଦୀ,

ନିୟତି ଘୋଷଣା ସେହି ଜାଣି ନ ଜାଣିଲୁ,

ଅନିତ୍ୟ ଐଶ୍ୱର୍ଯ୍ୟମଦେ ଧର୍ମ୍ମଙ୍କୁ ପୀଡ଼ିଲୁ,

ଅଗ୍ରଜ ବାତ୍ସଲ୍ୟେ ଦୃଢ଼ କରିଣ ନିର୍ଭର

ଉପହାସ-ରସିକ ତୁ ଥିଲୁ ରେ ବର୍ବର !

ସେହି ଧର୍ମ ଅନ୍ତେ ଏବେ ହେଲାଟି ପ୍ରବଳ,

ସେହି ଧର୍ମ ଏ ଭୁଜେ ଦେଉଛି ପ୍ରତିଫଳ ।’’

କହନ୍ତି ଦ୍ରୌପଦୀ, ‘‘ନାଥ ! ହେଉଛି ସ୍ମରଣ,

ଅନ୍ତଃପୁରେ କୁନ୍ତୀ ସଙ୍ଗେ ଥିଲି, ଏ ଦୁର୍ଜନ

ନିରଦୟ, ନିରପେକ୍ଷ, ନିର୍ଭୟେ ଚଣ୍ଡାଳ

ବାମ କରେ କରଷି ଧରିଣ ମୋର ବାଳ

ଆଣନ୍ତେ ଚରଣ ନ ପଡ଼ଇ ଭୂମିତଳେ,

ପଦବୀ ପ୍ଳାବିତ ନାଥ ! କଲି ଅଶ୍ରୁଜଳେ,

କୁରୁସଭାତଳେ ଗୁରୁଜନଙ୍କ ଛାମୁର

ଅବହେଳେ ବିବସନ କଲା ମତେ କ୍ରୂର;

ଆକୁଳେ ଡାକିଲି, ନାଥ ! କେହି ନ ଶୁଣିଲେ,

ଭୀଷ୍ମ ଦ୍ରୋଣ ଆଦି କରି ବସିଣ ଯେ ଥିଲେ,

ସମସ୍ତଙ୍କୁ ତ୍ରସ୍ତେ ବ୍ୟସ୍ତେ ଡାକିଲି ବହନ,

ଦୟା ନ ବହିଲେ ଶୁଣି ଅବଳା ରୋଦନ,

ଲଜ୍ଜାନିବାରଣବାନା ପ୍ରଭୁ ଭଗବାନ

ଧର୍ମର ସହାୟ ହୋଇ କଲେ ପରିତ୍ରାଣ ।

ସେକାଳେ ବିକଳ ଯେତେ ହେଲା ଏ ହୃଦୟ,

ଜାଣନ୍ତି କେବଳ ସେହି ପ୍ରଭୁ ଦୟାମୟ ।’’

ତରୁଣୀ-କରୁଣ-ବାଣୀ ଶୁଣିଲେ ମାରୁତି,

ହେଲା ସେ ବିଷମ-ରୋଷ-ଅନଳେ ଆହୁତି,

ପୂର୍ବ ଦୁଃଖ ଅପମାନ କଲେକ ସ୍ମରଣ,

ବିଷଦାନ, ଯତୁଗୃହ, ବନବିବାସନ,

ମହାକୋପେ ଗରଜିଲେ ପବନତନୁଜ,

ଆକ୍ରୋଶେ ଧରିଲେ ଦୁଃଶାସନ ବାମ ଭୁଜ,

ବକ୍ଷେ ଶିରେ ପାଦ ଚାପି ଉପାଡ଼େ ସେ କର,

ଶବଦେ ଅବନୀ ଭୟେ କମ୍ପେ ଥରହର;

ଭୁଜ ଉପାଡ଼ନ୍ତେ ଶବ୍ଦ ଶୁଭେ ଭୟଙ୍କର,

କି ଅବା ଉପୁଡ଼ି ପଡ଼େ ହିମାଦ୍ରି ଶିଖର,

ପ୍ରଚଣ୍ଡ ବୈଷ୍ଣବ ତେଜେ ଗର୍ଜଇ ପାବନି,

କି ଅବା ଗଗନୁ ଖସେ ଭୀଷଣ ଅଶନି,

ଅଷ୍ଟକୁଳାଚଳ କମ୍ପେ, କମ୍ପେ ତିନିପୁର,

ଆତଙ୍କେ କମ୍ପିଲେ ନାଗ ନର ସୁରାସୁର,

ରବିରଥେ ଶୂନ୍ୟପଥେ କମ୍ପିଲେ ଅରୁଣ,

କୂଳ-ପ୍ରକମ୍ପନ-ଦେବ କମ୍ପିଲେ ବରୁଣ,

କମ୍ପିଲା ସଘନେ ରମ୍ୟ ମୁକୁତାସଦନ

ନୀଳ ଅମ୍ବୁରାଶି ତଳେ, କମ୍ପିଲା ଆସନ

ସୁରଙ୍ଗ ପ୍ରବାଳମୟ ଭେଦି ଜଳରାଶି;

ସ୍ଥଗିଲେ ତରଙ୍ଗାବେଗ ପାଶାଘାତେ ପାଶୀ ।

ମହିଷ-ମର୍ଦ୍ଦିନୀ-ଚଣ୍ଡୀ-ପ୍ରଚଣ୍ଡ-ଶବଦ

ପ୍ରାଏକ କଲା ସେ ଶବ୍ଦ ତ୍ରିଲୋକ ସ୍ତବଧ ।

ଶୋଣିତ-ପାଟଳ ଭୁଜ ଭୀମ ଉପାଡ଼ିଣ

ଗଗନକୁ ଫିଙ୍ଗି ଦେଲା ବେଗେ ବୁଲାଇଣ,

ବରଷେ ରୁଧିର ବିନ୍ଦୁ ଆକାଶ ବିସ୍ତାରି,

ଅନ୍ତରୀକ୍ଷେ ଶ୍ୟେନପକ୍ଷୀ ଭୁଜ ନେଲା ମାରି ।

ପୁଣି ଦକ୍ଷ ଭୁଜ ଧରି ଉପାଡ଼ିଲା ବଳେ,

ଏ ଭୁଜ ଧର୍ମଙ୍କୁ ବସାଇଲୁ ସଭାତଳେ !

ବୁଲାଇଣ ପିଙ୍ଗି ଦେଲା ସେ ଭୁଜ ହୁଙ୍କାରି,

ଅନ୍ତରୀକ୍ଷେ ଶ୍ୟେନପକ୍ଷୀ ପୁଣି ନେଲା ମାରି ।

କୃଷ୍ଣା କୃଷ୍ଣକେଶେ ରକ୍ତ ବର୍ଷଇ ପ୍ରଚୁର,

ବିଦାରିଲା ବୃକୋଦର ଦୁଃଶାସନ ଉର,

ଦନ୍ତ କଡ଼ମଡ଼ି ସିଂହ ପଡ଼େ ଆଚମ୍ବିତ

ବୃଷସ୍କନ୍ଧେ, ପଡ଼ି ଯେହ୍ନେ ପିଅଇ ଶୋଣିତ,

ତେସନେ ବିକ୍ରମ-ସିଂହ ଭୀମ ମହାବୀର

ରକ୍ତାକ୍ଷ, ଅରାତି ବକ୍ଷେ ପିଅଇ ରୁଧିର,

ଦୂରେ ବୃଷପତି ରହେ ପତ୍ରାସେ ଅନାଇ,

ତେସନେ ପତ୍ରାସେ ଦୂରୁ ଚାହେଁ କୁରୁସାଇଁ ।

ରକ୍ତହସ୍ତେ ଯାଜ୍ଞସେନୀ ମୁକ୍ତ ଲମ୍ବ କେଶ

ବାନ୍ଧିଲା ଆନନ୍ଦେ ବାୟୁନନ୍ଦନ ବୀରେଶ,

ଅସ୍ତଗିରିଶୃଙ୍ଗେ ଏବେ ପ୍ରବେଶ ତପନ,

ପଶ୍ଚିମ ଆକାଶ ଦିଶେ ଲୋହିତ ବରଣ,

ଅସ୍ତଗାମୀ ରବିପ୍ରଭା ପଡ଼ି ରଣସ୍ଥଳେ

ଦିଶଇ ମିଶ୍ରିତ ଯେହ୍ନେ ପାଟଳ ପାଟଳେ ।

ସନ୍ଧ୍ୟା ଜାଣି ଦୁଇବଳ ଗଲେ ନିଜସ୍ଥାନ,

ମହାସୁଖେ ଏକ, ପୁଣି ମହାଶୋକେ ଆନ ।

ଦ୍ରୁପଦନନ୍ଦିନୀ ସଙ୍ଗେ ସୁନ୍ଦର ସ୍ୟନ୍ଦନେ

ବାହୁଡ଼ିଲେ ଭୀମବାହୁ ଭୀମ ହୃଷ୍ଟମନେ,

ଯମୁନା ନିର୍ମଳ ନୀରେ ପଖାଳି ଶରୀର

ମିଲିଲେ ସାନନ୍ଦେ ଯାଇ ପାଣ୍ଡବ ଶିବିର ।

Image